ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନେଇ ଯାଉଥିବା ବସ ଉପରକୁ କେତେକ ବିରୋଧୀ ରାଜନୈତିକ କର୍ମୀ ପଥର ମାଡ଼ କରିଛନ୍ତି। ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଏହି ଘଟଣା ରବିବାର ଘଟିଛି। ନିର୍ବାଚନ ପୂର୍ବରୁ ଜିଲ୍ଲାଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନଙ୍କ ଗାଡ଼ି ଉପରକୁ ପଥର ମାଡ଼ହେବା ଘଟଣା ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇ ଉଠିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଧ୍ୟପଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଜୟ ସିଂହଙ୍କ ବିଧାନସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଚୁରହାଟ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନଙ୍କର କୌଣସି କ୍ଷତି ହୋଇ ନାହିଁ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ଜନ ଆଶିର୍ବାଦ ଯାତ୍ରା କାଳରେ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ବିରୋଧୀ ଦଳ ନେତା ଶ୍ରୀ ସିଂଙ୍କୁ ଖୋଲା ଆହ୍ଵ୍ଵାନ ଦେଇଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଯେ ସେ ଶାରୀରିକଭାବେ ଦୁର୍ବଳ। କିନ୍ତୁ ଲୋକ ତାଙ୍କ ସହିତ ଥିବାରୁ ସେ ଶ୍ରୀ ସିଂହଙ୍କ ପାଖର ନଇଁବାର ପ୍ରଶ୍ନ ଉଠୁନାହିଁ। ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଶ୍ରୀ ଚୌହାନ କହିଛନ୍ତି। ତେବେ ଏହି ପଥରମାଡ଼ ଘଟଣାରେ କୌଣସି କଂଗ୍ରେସ କର୍ମୀ ସାମିଲ ନାହାଁନ୍ତି ବାଲି ଶ୍ରୀ ସିଂହ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି।